ଓଡ଼ିଶା

ମାଧବାନନ୍ଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ନେଇ ଚର୍ଚ୍ଚା

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ବାସୁଦବପୁର କଂଗ୍ରେସର ବରିଷ୍ଠ ନେତା ମାଧବାନନ୍ଦ ମଲ୍ଲିକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଯାହାର ଫଟୋ ଏବେ ସୋସିଆଲ ମିଡିରେ ଘୂରି ବୁଲୁଛି। ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କୁ ଭେଟିବା ପରେ ମାଧବାନନ୍ଦ ବିଜେପିରେ ଯୋଗ ଦେବା ପାଇଁ ପଥ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି। ବାସୁଦେବପୁର ବିଧାନସଭା କ୍ଷେତ୍ରଟି ବ୍ଲକର ୩୬ ପଞ୍ଚାୟତ ଓ ତିହିଡି ବ୍ଲକର ୭ ପଞ୍ଚାୟତକୁ ନେଇ ଗଠିତ। ଏହି ବିଧାନସଭା ଆସନରେ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଆସୁଛି। କଂଗ୍ରେସ ପକ୍ଷରୁ ଲଢୁଥିବା ମାଧବାନନ୍ଦ ମଲ୍ଲିକ ଏକାଧିକବାର ପରାଜିତ ହୋଇଛନ୍ତି। ଗତ ନିର୍ବାଚନରେ ମାଧବାନନ୍ଦ ୭୧ ହଜାର ୨୭୫(୪୨.୫୭ ପ୍ରତିଶତ) ଭୋଟ ପାଇଥିଲେ। ଏହା ସତ୍ୱେ ବି ଗତ ପୌର ନିର୍ବାଚନରେ ମଙ୍ଗ ଧରି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇ ଥିଲେ। ବିଜୟୀ ପ୍ରାର୍ଥୀ ଅଶୋକ କୁମାର ଦାସଙ୍କୁ ପୌରାଧ୍ୟକ୍ଷ ଭାବରେ ବସାଇବାରେ ତାଙ୍କର ପ୍ରମୁଖ ହାତଥିବା ଶୁଣିବାକୁ ମିଳୁଛି। ଏକଥାକୁ ବି ନିଜେ ମାଧବାନନ୍ଦ ଦାବି କରୁଛନ୍ତି। ହେଲେ ଏଥର ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ପରେ ଜିଲାର ସଭାପତି ପଦ ମଧ୍ୟ ବଦଳିଛି। ସ୍ଥାନୀୟ ପୌରାଧ୍ୟକ୍ଷ ଅଶୋକ କୁମାର ଦାସଙ୍କୁ ଜିଲା ସଭାପତି ଭାବେ ଦାୟିତ୍ୱ ମିଳିଛି। ପିସିସି ସଭାପତି ଯୁବ ଗୋଷ୍ଠୀଙ୍କୁ ଅଧିକ ପ୍ରଧାନ୍ୟ ଦେଉଥିବା ଶୁଣିବାକୁ ମିଳୁଛି। ଏହି ଦୃଷ୍ଟିରୁ ଜିଲା ସଭାପତି ଶ୍ରୀ ଦାସ ଦଳୀୟ ଟିକେଟ ପାଇବାର ଆଗ ଧାଡିରେ ଥିବା ଚର୍ଚ୍ଚା ହେଉଥିବାବେଳେ ବରିଷ୍ଠ କର୍ମୀ ମାଧବାନନ୍ଦଙ୍କ ଟିକେଟ ପାଇବା ଆଶା କ୍ଷୀଣ ହୋଇଛି। ଦୋ’ଛକିରେ ଥିବା ମାଧବାନନ୍ଦ କଂଗ୍ରେସ ସଭା ସମିତିରେ ଯୋଗ ଦେଉ ନଥିବା ଦେଖିବାକୁ ମିଳୁଛି। କିଛିଦିନ ଧରି ସ୍ଥିର ରହିବା ପରେ ମାଧବାନନ୍ଦ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଲା। ଆଉ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ବାସୁଦେବପୁର ରାଜନୈତିକ ପାଣିପାଗକୁ ବେଶ ଉଷ୍ମ କରିଛି। ତେବେ ମାଧବାନନ୍ଦ ଯଦି କଂଗ୍ରେସ ଛାଡି ବିଜେପିରେ ଯୋଗ ଦିଅନ୍ତି, ବିଜେପି ଶିବିର କେତେଦୂର ଖୁସି ହୋଇପାରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଦୀର୍ଘଦିନ ଧରି ବାସୁଦେବପୁର ବିଜେପିର ମଙ୍ଗ ଧରିଥିବା ଦୀନବନ୍ଧୁ ପତି କୁହନ୍ତି, ଯଦି ଶ୍ରୀ ମଲ୍ଲିକ ବିଜେପିରେ ଯୋଗ ଦିଅନ୍ତି ତେବେ ସେ ସ୍ୱାଗତ କରିବେ। ଯଦି ଦଳ ପକ୍ଷରୁ ମାଧବାନନ୍ଦଙ୍କୁ ଟିକେଟ ପାଇଁ ଅଗ୍ରାଧୀକାର ମିଳେ, ଶ୍ରୀ ପତି ଏହାକୁ କେତେଦୂର ସମର୍ଥନ ଜଣାଇବେ ବୋଲି ପ୍ରଶ୍ନରେ ତାହା ସମୟ କହିବ ବୋଲି କହିଛନ୍ତି। ଏପଟେ ବିଜେପିରେ ଯୋଗଦେବା କଥାକୁ ଶ୍ରୀ ମଲ୍ଲିକ ଅସ୍ୱୀକାର କରିଛନ୍ତି। ମୋର କାମ ଥିଲା ମୁଁ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ତେବେ ମାଧବାନନ୍ଦ, ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟିବାର ଭିତିରି ରହସ୍ୟକୁ ନେଇ ବାସୁଦେବପୁର ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top