ଆମ ସଂସ୍କୃତି, କଳା ଓ ଐତିହ୍ୟ

ମାଟି ଖେଳନାର ଯୁଗ ଶେଷ!

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ନାରୀର ପ୍ରମୁଖ ଆଭୁଷଣ ଗହଣା ହୋଇଥିବା ବେଳେ, ନିରୀହ ଶିଶୁଟି ଖେଳନା ପ୍ରତି ଆକର୍ଷିତ ହୋଇଥାଏ। ବିଭିନ୍ନ ଖେଳନା ଖେଳିବା ଦ୍ୱାରା ତାର ମାନସିକ ସ୍ତରରେ ବିକାଶ ସାଧିତ ହୋଇଥାଏ ବୋଲି କୁହାଯାଇଥାଏ। ଦିନ ଥିଲା ଶିଶୁ ମାନଙ୍କ ଆମୋଦ ପ୍ରମୋଦ ପାଇଁ ମାଟି ଖେଳନାର ଚାହିଦା ଦେଖିବାକୁ ମିଳୁଥିଲା। କୁମ୍ଭାର ହାତରେ ବିଭିନ୍ନ ଡିଜାଇନର କାରୁକାର୍ଯ୍ୟ ପୂର୍ଣ୍ଣ ମାଟି ଖେଳନା ତିଆରି କରାଯାଉଥିଲା। ଯାହାର ଦାମ ଅପେକ୍ଷାକୃତ କମ ଥିଲା ଓ ଛୋଟ ଶିଶୁ ଓ କିଶୋର କିଶୋରୀ ମାନଙ୍କ ଦ୍ୱାରା ଆଦୃତ ହେଉଥିଲା। ମାତ୍ର ୫ ଟଙ୍କାରେ ମିଳୁଥିଲା ମାଟି ଖେଳନା। ହାତୀ ହେଉ କି ଘୋଡା ହେଉ, ସବୁ ଶିଶୁଙ୍କର ମନ କିଣି ନେଉଥିଲା। ବିଶେଷ କରି ଗ୍ରାମାଂଚଳରେ ଶିଶୁ ମାନେ ମାଟି କଣ୍ଢେଇ ହାତରେ ଧରି ସମୟକୁ ଅତିବାହିତ କରୁଥିଲେ। ପରେ ଯୁଗ ବଦଳିବା ସଙ୍ଗେ ସଙ୍ଗେ ଏହି ପାରମ୍ପାରିକ ଖେଳନାର ବିକ୍ରୀରେ ଅଧୋଗତି ହେବାରେ ଲାଗିଲା। ମାଟି ଖେଳନାକୁ ପଛରେ ପକାଇ ଏହାର ସ୍ଥାନ ନେଲା ପ୍ଲାଷ୍ଟିକ ଖେଳନା। ପ୍ଲାଷ୍ଟିକରେ ନିର୍ମିତ ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀ, ପେଣ୍ଡୁ, ହଂସ, ବିରାଡି ଓ କୁକୁର ଆଦି ଖେଳନାକୁ ଦେଖି ଛୋଟ ଶିଶୁ ମା ର ହାତ ପରସା ଖାଇବାରେ ସକ୍ଷମ ହେଉଥିଲା। ଏହା ପରେ କ୍ରମଶଃ ସମୟରେ ପରିବର୍ତ୍ତନ ଘଟି ଚାଇନା ଖେଳନା ଭାରତରେ ବିକ୍ରୀ ପାଇଁ ଯୋଜନା ପ୍ରସ୍ତୁତ ହେଲା। ବିଭିନ୍ନ ଚାଇନା ଖେଳନା ଯେପରି ଟଏ ଟ୍ରନ, ଡ୍ରାଗନ, ବିଭିନ୍ନ ପ୍ରକାର ଓ ଡିଜାଇନର ଖେଳନା ବନ୍ଧୁକ ପ୍ରତି ଛୋଟ ଶିଶୁ ମାନଙ୍କ ଆଗ୍ରହ ବଢିବାରେ ଲାଗିଲା। ସହରର ବିଭିନ୍ନ ଜାଗାରେ ଏପରି ଖେଳନାର ବିକ୍ରୀ ଜୋର ଧରିଲା ଓ ଲୋକପ୍ରିୟ ହେବାରେ ଲାଗିଲା। ପୁର ଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ମାଟି ଖେଳନାକୁ ପଛରେ ପକାଇ ଚାଇନା ଖେଳନା ଏହାର ଜାଗା ନେଲା। ଏହି ଖେଳନା ଗୁଡିକର ଦାମ ୫୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ପୁର୍ବ ପରି ଶିଶୁ ମାନେ ଆଉ ମାଟି ଖେଳନା ପ୍ରତି ଆକର୍ଷିତ ନ ହେବା ତଥା ଏହାର ଉତ୍ପାଦନ କମିବା ଦେଖିବାକୁ ମିଳିଲା। ବର୍ତମାନ ପରିସ୍ଥିତିରେ କିଛି ସ୍ଥାନରେ ମାଟି ଖେଳନା ବଂଚିବାର ସଂଗ୍ରାମ ଜାରି ରଖିଥିବା ବେଳେ, କେତେଦିନ ଶିଶୁଙ୍କୁ ମନୋରଂଜନ କରି ପାରିବ ତାହା ଦେଖିବାକୁ ବାକି ରହିଲା!

Click to comment

Leave a Reply

Your email address will not be published. Required fields are marked *

Most Popular

To Top