ଓଡ଼ିଶା

ଭୀମସାର ନିର୍ଦ୍ଦେଶକଙ୍କୁ ଧମକ ନେଇ ଥାନାରେ ମାମଲା

ସମ୍ବଲପୁର, ୧୯/୯ (ଓଡ଼ିଆ ପୁଅ) : ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ (ଭୀମସାର) ନିର୍ଦ୍ଦେଶକ ଡା. ଅଶ୍ୱିନୀ କୁମାର ପୂଜାହାରୀଙ୍କୁ ଜଣେ ରୋଗୀଙ୍କ ଆତ୍ମୀୟ ଟେଲିଫୋନ୍ରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଡା. ପୂଜାହାରୀ ଗତ ୧୩ରେ ବୁର୍ଲା ଥାନାରେ ଏତଲା କରିଥିବା ବେଳେ ପୁଲିସ ଆଇପିସି ୨୯୪, ୫୦୬ ଓ ୫୦୭ରେ ମାମଲା ରୁଜୁ କରିଛି। ନିର୍ଦ୍ଦେଶକ ଡା. ପୂଜାହାରୀ ଆଜି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ମାମଲାର ତଦନ୍ତ ଚାଲିଥିବା ବୁର୍ଲା ଥାନା ଆଇଆଇସି ମାନସରଞ୍ଜନ ପ୍ରଧାନ କହିଛନ୍ତି। ବୁର୍ଲା ଭୀମସାରରେ ମସ୍ତିଷ୍କରେ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବରଗଡ଼ ଅଞ୍ଚଳର ସୁନୀଲ ଷଡ଼ଙ୍ଗୀଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ ନ କରିବାକୁ ତାଙ୍କୁ ୮୭୭୯୩୬୮୭୩୫ ଏବଂ ୯୦୦୪୦୪୯୩୬୧ ନମ୍ବର ଟେଲିଫୋନ୍ରୁ ଫୋନ୍ କରି ହତ୍ୟା ଧମକ ଦିଆଯାଇଥିବା ଡା. ପୂଜାହାରୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ବ୍ରେନ୍ ହାମ୍ରେଜ୍ ଆକ୍ରାନ୍ତ ସଂପୃକ୍ତ ରୋଗୀଙ୍କ ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲାର ୨ଜଣ ଜନ ପ୍ରତିନିଧି ତାଙ୍କୁ ଫୋନ୍ କରିଥିଲେ। ରୋଗୀଙ୍କ ଚିକିତ୍ସା ମଧ୍ୟ କରାଯାଇଛି। ହେଲେ ଡାକ୍ତରଖାନାରେ ରଖିଲେ ସଂକ୍ରମଣର ଆଶଙ୍କା ଥିବାରୁ ରୋଗୀଙ୍କୁ ଘରକୁ ନେଇ ଯିବାକୁ କୁହାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top